ଓଡ଼ିଶାର ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ମିଳିତ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ରାଜ୍ୟ ସ୍ତରୀୟ ନବ ସୃଜନ ଏବଂ ନୂଆ ଉଦ୍ୟମ ପ୍ରତିଯୋଗିତାର ଆୟୋଜନ କରାଯାଇଛି। ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାରେ ୧୪ଟି ବିଶ୍ୱ ବିଦ୍ୟାଳୟର ୭୨ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ଜାନୁଆରୀ ୧୬ ଏବଂ ୧୭ ତାରିଖ ଦୁଇ ଦିନ ଧରି ଏହି ପ୍ରତିଯୋଗିତା ଆୟୋଜିତ ହେବ।
ଆଜିର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଆଜିର କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବରେ ଉଦ୍ଘାଟନ କରିବା ସହିତ ମନ୍ତ୍ରୀ ଡ଼. ମହାଲିଙ୍ଗ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଷ୍ଟାର୍ଟଅପ୍ ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିବା ସହ ଛାତ୍ରଛାତ୍ରୀଙ୍କ ସହ ଷ୍ଟାର୍ଟଅପ୍ ପ୍ରକଳ୍ପ ସମ୍ବନ୍ଧରେ ସବିସ୍ତୃତ ଆଲୋଚନା କରିଥିଲେ।
